Unknown

 

 

 

 

 

 

 

 

 

 

ଇଚ୍ଛାବତୀ ହରଣ ସୁଆଙ୍ଗ

ଗଣକବି ବୈଷ୍ଣବ ପାଣି

 

ସୂଚି ଛାନ୍ଦ

ନରେ ହରି ହରି ବୋଲ ମୁଖେ – ବୃତ୍ତେ

 

ନରେ କ୍ଷମାକାର ମୋର ଦୋଷ ।

ଚାଟ ଇଚ୍ଛାବତୀ ନାଟକରେ ମତି ବଳାଇ ହୁଅ ସନ୍ତୋଷ । ପଦ ।

 

ହରଷେ ସରସ ପଦ ମୁଁ ଲେଖିବି ।

ଦରଶକ ହୃଦ ପଟରେ ଆଙ୍କିବି ।

ଆଦିରସଆଦରଶଏ ହୋଇବ ହରିଯିବ ଭୋକ ଶୋଷ । ୧ ।

 

ଦରପକ ଦେଶେ ମଦନ ନୃପତି ।

ଚାରୁବ୍ରହ୍ମ ତାଙ୍କ କୁମର ସମ୍ପତ୍ତି ।

ସେ କୁମରେ ବିଭା ଦେବେ ବୋଲି ଦେଶେ ଫେରାଇ ଦେଲେ ସନ୍ଦେଶ । ୨ ।

 

କନ୍ୟା ରୂପ ଚିତ୍ରପଟେ ଲେଖିଆଣି ।

କୁମରକୁ ଦେଖାଇଲେ ନରମଣି ।

ଏହିଠାରୁ ଭାବ ହୋଇବ ଆରମ୍ଭ ବିପ୍ର ବଇଷ୍ଣବ ଭାଷି । ୩ ।

***

 

ମଦନ ରାଜା ଓ ମନ୍ତ୍ରୀର ପ୍ରବେଶ

ଭାଇ ଭୀମ କରିବା କି ବୁଦ୍ଧି – ବୃତ୍ତେ

 

ମନ୍ତ୍ରୀମଣି କି କରିବା କହ ।

ବିଭା ଦେବି ଚାରୁବ୍ରହ୍ମେ କନ୍ୟା ପଟ ଆଣି ଦିଅ । ପଦ ।

 

ସସ୍ତ୍ରୀକ ହେବାକୁ ସୁତ ।

ହୋଇଅଛି ଉପଯୁକ୍ତ ।

ସେହି ଭାବ ଭାବେ ଅହରହ । ୧ ।

 

ଦେଖି ଏ କାଳର ଗତି ।

ହୃଦେ ଉଦେ ହୁଏ ଭୀତି ।

ଅଖ୍ୟାତି ରଟିବ ରାଜ୍ୟମୟ । ୨ ।

 

ଧନ ଜୀବନ ଯୌବନ ।

ଅଚିର ଅଟେ ଏମାନ ।

ଦେଖିବି କୁମର ବଧୂ ସହ ।୩ ।

 

 

 

 

ପୂରୁବେ ମୁଁ ଥିଲି କହି ।

ଏହି ଚିତ୍ରପଟ ପାଇଁ ।

ବଇ ଭଣି ଆଣ ଯାଅ ଯାଅ । ୪ ।

***

 

ମନ୍ତ୍ରୀର ଉତ୍ତର

କି କହିବି ପୁତନା ମୋ ଚେତନା – ବୃତ୍ତେ

 

ପଠାଇଛି ଦୂତକୁ ମୁଁ ଚିତ୍ରପଟ ଆଶେ ହେ ।

ଆଣିମ ତାହା ମଣିମା; ଶ୍ରୀଛାମୁ ଆଦେଶେ । ମଣିମା । ୧ ।

 

ସାତଦିବସ ହେଲାଣି ଯାଇଅଛି ସେହି ।

ଆଜି କିବା କାଲି ଘେନି ମିଳିବ ଏଠାଇଁ । ମଣିମା ।୨।

 

ପୁତ୍ରେ ଦେଖାଇ ସୀଉକାର କରାଇବା ।

ତହୁଁ ରାଜ୍ୟେ ବିବାହ ବାରତା ଫେରାଇବା ।୩ ।

 

ଯେ ଯାହାର ନିଯୋଗହଜୁରେ ଦେବେ ଆସି ।

ମଙ୍ଗଳ ଉତ୍ସବ ହେବ ବଇଷ୍ଣବ ଭାଷି । ମଣିମା । ୪ ।

***

 

ଦୂତର ଗୀତ ଗାଇ ପ୍ରବେଶ

ଧନ୍ୟ ଧନ୍ୟ ରେ ତୁହି କଳିକାଳ – ବୃତ୍ତେ

 

ଦେଶ ଦଶାକୁ ଦେଖି ମଶା ମଲେ ଗଡ଼ି ।

ଟୋପାଏ ରକତ ନ ପାରନ୍ତି କାଢ଼ି । ପଦ ।

 

ଟଙ୍କାରେ ନଅ ଚାରି, ସେର ହେଲାଣି ବିକିରି ।

ଧାନବିନା ଏ ମୂଷାଏ ମରନ୍ତି ଗଡ଼ି ।

 

ହରଡ଼, ଗହମ, ବୁଟ, ସବୁହେଲା ଏକା କଣ୍ଟ ।

ଦାନା ଦାନା ବୋଲି ଦେଶେ ଉଠି ରଡ଼ି । ୨ ।

 

ବେଳୁବେଳ ମହରଗ, ବଢ଼ିଲା ସଂସାର ରୋଗ ।

ତେବେକେ ଭାଇଭାଇରେ ତଡ଼ାତଡ଼ି । ୩ ।

 

ଘରେ ନାହିଁ ଦାନା କନା, କିଘେନି ଜୀଇବା ନନା,

ଏଣେ ମାରୁଚି ଦେଶ ଉଦ୍ଧାର ଘଡ଼ଘଡ଼ି । ୪ ।

 

ବଢ଼ିବାରୁ ସବୁ ନଈ, ଲୋକେ ପଡ଼ୁଛନ୍ତି ନଇଁ ।

କାଳ ମାନୁ ନାହିଁ ନାହାକଙ୍କ ଖଡ଼ି । ୫ ।

 

ଛତା ଜୋତା ଖଣ୍ଡେ ଖଣ୍ଡେ, ଇଜତ ରଖିଛି ଦାଣ୍ଡେ ।

ଷୋଳବରଷେ ମାଇପେ ହେଲେ ବୁଢ଼ୀ । ୬ ।

 

ବଇଷ୍ଣବ ବଇଷ୍ଣବ; ହେବ ପାଞ୍ଚିଛି ଏ ଭାବ,

ବିକିଦେଇ ଆପଣାର ଜମି ବାଡ଼ି । ୭ ।

***

 

ରାଜା ପଚାରନ୍ତେ ଦୂତର ଗୀତ

ଏହୁ କାହା ରମଣିମଣିରତନ– ବୃତ୍ତେ

 

ଚିତ୍ରପଟ ଆଣିଛି ଲୋଡ଼ି ମଣିମା ।

ଗରିବ ଗୁହାରି ବାରେ ଶୁଣିମା । ପଦ ।

 

ଯୁବରାଜଙ୍କୁ ବିଭା ଦିଅ ହରଷେ ।

ଏହି ଛବି ଦେଖାଇ ମନ ସରସେ ।

ଗଣକ ଡକାଇ ଦିନ ଗଣିମା । ୧ ।

 

ରାଜ୍ୟେ ରାଜ୍ୟେ ଘୋଷଣା ଫେରାଇ ଦେବି ।

ଆଦେଶ ଦେଲେ ଦେବ ଏକ୍ଷଣି ଯିବି ।

ବିଭାଘର ସମ୍ଭାର ମାନ କିଣିମା । ୨ ।

 

ରାଜ୍ୟେ ଯେ ଛନ୍ତି ବଡ଼ ବଡ଼ ପଧାନ

ତାହାଙ୍କୁ ଡାକି କୁଟାଦିଆଅ ଧାନ ।

ପାଞ୍ଚି ପାଞ୍ଚି ବଉଳପାଟ ଆଣିମା । ୩ ।

 

 

 

 

 

ଆସିବେ କେତେ ନାଟ ନାଟକ ଦଳ ।

ଭାଟ ସହିତ ଯେତେ ପାଟକ କୁଳ ।

ବଇ ଭଣି ବହୁତ ଗୀତ ଶୁଣିମା । ୪ ।

***

 

ରାଜାର ଗୀତ

ହରି ହରି ବୋଲ ହରଷେ ରସିକେ – ବୃତ୍ତେ

 

ଯାଅ ଯାଅ ମନ୍ତ୍ରୀ ଯାଅଯା ବହନ କନ୍ୟାପଟ ଘେନି ଯାଅ ହେ ।

ଚାରୁବ୍ରହ୍ମେ ରାଜି କରାଇଣ ଆଜି ତା ଉତ୍ତର ମୋତେ କହ ହେ । ପଦ ।

 

ଏହି ଚିତ୍ରମାନ ଦେଖାଇ କହିବ ।

ୟା ମଧ୍ୟରୁ ମନ ଯାହାକୁ ହୋଇବ ।

ତାର ସେହି ନାରୀ ହେବ ମନୋହାରୀ ଏ ଗିର ସାର ନିଶ୍ଚୟ ହେ । ୧।

 

ଯେବେ ସେ କାହାକୁ ନ ହୋଇବ ରାଜି ।

ସେ ବାରତା ମୋତେ ଜଣାଇବ ଆଜି ।

ପ୍ରତିକାର ତାର କରିବି ନିକର ନ କର ଏଥେ ସନ୍ଦେହ ହେ । ୨ ।

 

ମାତ୍ର ପୁତ୍ରବଧୂ ନେତ୍ରେ ପଥେ ଦେଖି ।

ଭାବିଛି ହୋଇବି ଚିତ୍ତେ ମହାସୁଖୀ ।

ଗୋଧନ ଧନରେ ପୂର୍ଣ୍ଣ ଅଛି ମୋର ଜାଣ ସଦନ ନିଚୟ ହେ । ୩ ।

 

 

 

 

ବିଳମ୍ବ ନ କରି ଚଳ ବତ୍ସପାଶେ

ଯା ବୋଲିବ ସେହି ଜଣାଅ ମୋ ପାଶେ ।

ବଇଷ୍ଣବ ଭାଷେ ପୂର୍ବାକାଶେ ପୂର୍ଣ୍ଣଇନ୍ଦୁ ନ ହେବେ ଉଦୟ ହେ । ୪ ।

***

 

ମନ୍ତ୍ରୀ ଚିତ୍ରଘେନି ଚାରୁବ୍ରହ୍ମ ପାଶେ ପ୍ରବେଶ – ଚାରୁବ୍ରହ୍ମର ଗୀତ

ପଡ଼ିଲା କପାଳ ରେ – ବୃତ୍ତେ

 

କି ଧରିଛ କର ହେ ସଚିବ ତୁମ୍ଭର ।

କିପାଁ ଆସିଛ ମୋ ପାଶେ ଘେନିଣ କେଉଁ ଖବର । ପଦ ।

 

ଆନନ୍ଦେ ପୂରିଛି ମୁଖ ଯେସନ ବସନ୍ତେ ପିକ ।

ତେସନ ଜାଣୁଛି ଚିତ୍ତେ ନାହିଁ, ଦୁଃଖର ବିକାର । ୧ ।

 

କି ଅବା ପେଷିଲେ ପିତା, ଜାଣିବାକୁ ମୋ ବାରତା ।

ଜନମେ ଜନମେ ମୁହିଁ ଜନକ ପଦେ କିଙ୍କର । ୨ ।

 

ପିତା ଜପ, ପିତା ତପ, ପିତା ମନ୍ତ୍ର ତନ୍ତ୍ରରୂପ ।

ପିତା କ୍ଷିତି ତେଜ ଆପ ବାୟୁ ଆକାଶ ନିକର । ୩ ।

 

ଭାଷେ ବୈଷ୍ଣବ ଚରଣ, ଭାଷ ଆଗମ କାରଣ ।

ଧାରଣ ସଦା ମୋ ହୃଦେ ଦେବ ଉମେଶ ଶଙ୍କର । ୪।

***

 

ମନ୍ତ୍ରୀ ଉକ୍ତି ଗୀତ

ମାନ କର ଦାନ ଧନ – ବୃତ୍ତେ

 

ଆଣିଅଛି ଚିତ୍ରପଟ ଦେଖ ରାଜକୁମାର ।

ଜୀବଧନ ହେବ ତୁମ୍ଭେ କେଉଁ ରାଜଜେମାର । ପଦ ।

 

ଅଛନ୍ତି ନୃପକୁମାରୀ ଜଗତେ ଅସୁମାର ।

ତାଙ୍କ ଛବି ଆଙ୍କି ପିତା ଦେଲେ ମୋହ ଜିମାର । ୧ ।

 

ଯାପରେ ବଳିବ ଚିତ୍ତ ଉଚିତ ଯେ ତୁମ୍ଭର ।

ସୁଚିତ୍ତେ ପରାଣପତି ହେବ ସେହି ବାମାର । ୨ ।

 

ଅଙ୍କ ପଲ୍ୟଙ୍କେ ପହୁଡ଼, ଘେନିଣ ତ୍ରିଯାମାର ।

ଯେଉଁ ପରକାରେ ଶ୍ୟାମ ହୋଇଛନ୍ତି ଶ୍ୟାମାର । ୩ ।

 

ଅଙ୍ଗ ସଙ୍ଗ ବାଞ୍ଛାକର ଭାଷ କେଉଁ ରାମାର ।

ସ୍ପଷ୍ଟ ଭାଷ ବଇ ଭଣେ ଯୋଗ୍ୟ ସିନା ଜେମାର । ୪ ।

***

 

ଚାରୁବ୍ରହ୍ମର ଗୀତ

ଦିଅ ସରବେ ମିଳି କୁସୁମାଞ୍ଜଳି – ବୃତ୍ତେ

 

ମନ୍ତ୍ରୀ ଶୁଣ ମୋ ବାଣୀ ନଭୁଲା ଆଣି ଏତେ ଚିତ୍ରପଟ ।

ବିଭାହେବି ମୁଁ ତାକୁ ଯେଉଁ ରମଣୀ ପଢ଼ିଥିବ ପାଠ । ପଦ ।

 

ଶୋଭା ହେବ ସଂସାରରେ ବରିଲେ ସେ ଯୋଷାରେ ।

ସେ ତ ହେବ ମୋହର ମୁଁ ହେବି ତାର ରହିବ ମୋ ଆଣ୍ଟ । ୧ ।

 

ଲୁହା ଚୁମ୍ବକ ସମ ଉଦୟ ହେବ ପ୍ରେମ ।

ଶ୍ରମ ନକର ବୃଥା ମାନ ମୋ କଥା ସାଧନାହିଁ ହଟ । ୨ ।

 

ମଣିକାଞ୍ଚନ ଯୋଗ କରଣେ ଅନୁରାଗ ।

ଏହା ବହି ହୃଦୟେ ହୁଅ ବିଦାଏ ଦେଖ ଭଲବାଟ । ୩ ।

 

ଏହା ନୋହିବ ଯେବେ ବିଭା ନ ହେବି ତେବେ ।

ବଇ ବୋଲଇ ବ୍ରହ୍ମଚର୍ଯ୍ୟ ଆଶ୍ରମ ଅଛି ଭାଲପଟ । ୪ ।

***

 

ମନ୍ତ୍ରୀର ପ୍ରସ୍ଥାନ – ରାଜାପାଶେ ଜଣାଇବା

 

ମନ୍ତ୍ରୀ

–ମାନିଲା ନାହିଁ ମୋ କଥା ଛାମୁଙ୍କ କୁମର ।

ରାଜା

–କି ଉତ୍ତର ଦେଲା ଚାରୁବ୍ରହ୍ମ ତୋ ଛାମୁର ।

ମନ୍ତ୍ରୀ

–ସେ କହିଲା ଶିକ୍ଷିତା ଯୁବତୀ ହେବ ବିଭା ।

ରାଜା

–ଯଦି ରୂପ ହୋଇଥିବ ତାହାର ଅଶୋଭା ।

ମନ୍ତ୍ରୀ

–ଶୋଭା ଅଶୋଭାରେ ନାହିଁ ଆପତ୍ତି ତାଙ୍କର ।

ରାଜା

–ମୋ ଆଜ୍ଞା ଅବଜ୍ଞା କଲା ହୋଇଣ କୁମର ।

ମନ୍ତ୍ରୀ

–ଏଥର ଉତ୍ତର ଯାହା କରନ୍ତୁ ମଣିମା ।

ରାଜା

–ଆଜି ତାକୁ ପାରକର ଏ ନଗର ସୀମା ।

ମନ୍ତ୍ରୀ

–ଛାମୁଙ୍କ ହୁକୁମ କିଏ ଅବଜ୍ଞା କରିବ ।

ରାଜା

–ତା ହେତୁ କଳଙ୍କ ବିଷ ମୋ କୁଳେ ଘାରିବ ।

ମନ୍ତ୍ରୀ

–ଏକ୍ଷଣି ତାହାକୁ ନଗ୍ରୁ ଦେଉଅଛୁ କାଢ଼ି ।

ରାଜା

–ଯାଅ ଦୂତ ରାଜ୍ୟସୀମା ପାରେ ଆସ ଛାଡ଼ି ।

***

 

ସମସ୍ତ ପ୍ରସ୍ଥାନ – ଦୂତର ଚାରୁବ୍ରହ୍ମ ପ୍ରତି ଗୀତ

ମହିଷାସୁରକୁ ଆଶା – ବୃତ୍ତେ

 

ନନ୍ଦନ ହେ ସଦନୁ ହୁଅ ବାହାର ।

ରାଜାଙ୍କ ଆଦେଶ ଏଥି ନ କର ଆହାର । ପଦ ।

 

କୋପ ବହି ତୁମ୍ଭ ପାଇଁ ମୋତେ ଅଛନ୍ତି ପଠାଇ ।

ଫିଟାଇ କହିଲି ଦୋଷ ନାହିଁଟି ମୋହର । ୧ ।

 

ମନ୍ତ୍ରୀକି ବୋଇଲେ ପାଶେ ଶୁଣି ତାଙ୍କ ବାଣୀ ରୋଷେ ।

ଆଦେଶ ଦେଲେ ଏ ଦେଶେ କରନା ବିହାର । ୨ ।

 

କ୍ରୋଧେ ଚକ୍ଷୁରଙ୍ଗ ରଙ୍ଗ କମ୍ପୁଛି ସରବ ଅଙ୍ଗ ।

ସେ ରଙ୍ଗ ଦେଖିଲେ ତୁଣ୍ଡ ଫିଟିବ କାହାର । ୩ ।

 

ଆସ ଆସ ବେଗ କରି ନହରୁ ଯିବା ବାହାରି ।

ବଇଷ୍ଣବ ଭଣେ ତବ ଚରଣେ ଜୁହାର । ୪ ।

***

 

ଚାରୁବ୍ରହ୍ମ ମାତାପାଶେ ମେଲାଣି ମାଗନ୍ତେ ଗୀତ

ଛାଡ଼ ମୋତେ ବାଟ ନଟ ନାଗର ଲମ୍ପଟ – ବୃତ୍ତେ

 

କାହିଁକି ବିରସ ଭାଷ ମୋ ଦୁଃଖୀ ସଂଖାଳି ରେ ।

ଚନ୍ଦ୍ରମାବଦନ କିପାଁ ପଡ଼ିଅଛି କାଳୀ ରେ । ପଦ ।

 

ଫିଟାଅ କାରଣ ତାର ତୁଟାଅ ସନ୍ଦେହ ଭାର ।

କହ କହ ତୋତେ କିଏ ଦେଇଚି କି ଗାଳି ରେ । ୧ ।

 

କିପାଁ ବେନିପାତ୍ର ଜଳ କରୁଅଛୁ ଟଳମଳ ।

ବିଭା ଦେବେ କନ୍ୟା ଦୂତ ଯାଇଛି ସଂଖୋଳି ରେ । ୨ ।

 

ଭାଙ୍ଗିଥିଲେ ଗଢ଼ାଇବି, ହଜିଥିଲେ ଲୋଡ଼ାଇବି ।

ପୂଜି ପାଇଛି ମୁଁ ତୋତେ ନର ମୁଣ୍ଡ ମାଳିରେ । ୩ ।

 

ଗତ ରଜନୀରେ ପିତା ପକାଇଥିଲେ ତୋ କଥା ।

ବଇଷ୍ଣବ ବୋଲି କେ କି କରିଅଛି କଳି ରେ । ୪ ।

***

 

ଚାରୁବ୍ରହ୍ମର ମେଲାଣି ଗୀତ

କାହିଁଗଲ ଜୀବିତେଶ – ବୃତ୍ତ

 

ଅଳି କରୁଚି ଜନନୀ ପଦ ଧୂଳି ଦେଇ ବିଦାକର ।

ତୋଳିଣ ବିଧାତା ପିତାସଙ୍ଗେ ଗୋଳି ଦେଇଛି ଶାକର । ପଦ ।

 

ଯେହ୍ନେ ଜଳିଯାଏ ପଦ୍ମବନ ଗଳିପଡ଼ି ନିଶିରେ କାକର ।

ତେସନ ଘଟିଛି ଦଶା ମୋର ରସାରେ ଜାଣ ନିକର । ୧ ।

 

ଗିଳିଅଛି ଦୁଃଖରାହୁ ଆଜି ତୋର ସୁଖ ନିଶାକର ।

ମିଳିଗଲା ପୂର୍ଣ୍ଣିମାରେ ଆସି ଘୋର ଅମାଅନ୍ଧକାର । ୨ ।

 

ମନ୍ତ୍ରୀମଣି ଆଣି ଦେଖାଇଲେ କନ୍ୟା ଚିତ୍ରମାନ ମୋ ପାଖର ।

ମନାକଲି ହେବି ବୋଲି ବିଭା ବାଛିଲି ମୁଁ କ୍ଷୀର ଏକ ଖାର । ୩ ।

 

ହେଲେ ଶିକ୍ଷିତା ଜିତା ରମଣୀ ମଣି ଧରିବ ସେ ମୋର କର ।

ଏତିକି ଦୋଷ କରିଚି ବଇଷ୍ଣବ ଭଣି ତୋ କିଂକର । ୪ ।

 

ରାଣୀ

–ଏତିକିରେ କି ଦୋଷ ତୋ ହେଲା ରେ ନନ୍ଦନ ?

ଚାରୁ

–ସେହିଁ ଦୋଷେ ଜନନି ଗୋ ତେଜିବି ସଦନ ।

ରାଣୀ

–ଏହା କେ କହିଲା ତୋତେ ଯିବୁ ଘର ଛାଡ଼ି ?

ଚାରୁ

–ଯେ ଜନ୍ମଦାତା ସେ ମୋତେ ଦେଉଛନ୍ତି କାଢ଼ି ।

ରାଣୀ

–ଏଡ଼ିକି ଅବୁଝା ପିତା ହେଲେ ରେ ତୋହର ?

ଚାରୁ

–ନାହିଁ ତାଙ୍କ ଦୋଷ ପୋଡ଼ା କପାଳ ମୋହର ।

ରାଣୀ

–ବୁଝାଇ ନ ଦେଲେ ଏତେ ଥିଲେ ପାତ୍ର ମନ୍ତ୍ରୀ ।

ଚାରୁ

–ପୋଡ଼ା କରମକୁ ଦେବେ ପଥର ହୁଅନ୍ତି ।

ରାଣୀ

–ଚାଲ ବାପା ବୁଝାଇ କହିବି ମୁହିଁ ପଦେ ।

ଚାରୁ

–କିପାଁ ଘୃତ ଢାଳିବ ପାଉଁଶ କୁଣ୍ଡେ ଖେଦେ ।

ରାଣୀ

–ଆହା ରେ ଦଇବ ଆଣି ଦେଲୁ ଏ ଦୁର୍ଗତି ।

ଚାରୁ

–ତାହାର ବିନା ଜଗତେ ନାହିଁ ଗତି ।

***

 

ରାଣୀର ରୋଦନ ଗୀତ

ତୁହି ପ୍ରାଣେ ଥାଉଁ ଥାଉଁ ରେ ପଥ ମୁଁ – ବୃତ୍ତେ

 

ପିଣ୍ଡରଖି ପ୍ରାଣ ନେଇ ଯାଉ ଚାଣ୍ଡେ ଆରେ ରେ କୁମରମଣି ।

ସପନ ହୋଇବ ଶୁଣିମାକୁ ତୁଣ୍ଡେ ମାଆ ମାଆ ଖଣ୍ଡବାଣୀ । ପଦ।

 

ଦଣ୍ଡ ଦେବ ଭଣ୍ଡ ଦଇବ ମୋତେ ତଣ୍ଡକାର ପରା ଆଜୁ ରେ କେତେ ।

ଖଣ୍ଡମଣ୍ଡଳ ମୋ ଲୋତକେ ତିନ୍ତିବ ମୁଣ୍ଡେ କୋଡ଼ୁ କୋଡ଼ୁ ପାଣି । ୧ ।

 

ତାଣ୍ଡବ ପରାଏ ହୃଦୟ ହଣ୍ଡା ।

ନାଚିବ ରେ ଦଣ୍ଡେ ନ ହେବ ଥଣ୍ଡା ।

ଅଣ୍ଡାଳି ହେବି ମୁଁ ଅନ୍ଧୁଣୀ ପରାଏ ନୟନୁ ବୁହାଇ ପାଣି । ୨ ।

 

ଖଣ୍ଡ ଖଣ୍ଡ କରି କାଟିବ ପିଣ୍ଡ ।

ନିରତେ ସୁତ ତୋ ବିଚ୍ଛେଦ କାଣ୍ଡ ।

ଅଣ୍ଡଜ କପୋତ ପରି ରାବୁଥିବିସଦାତୋର ଗୁଣ ଗୁଣୀ । ୩ ।

 

 

 

 

 

 

 

ଜଳିଯାଏ ହୃଦଖାଣ୍ଡବ ମୋର ।

ପାଣ୍ଡବ ସଖା ଏ କଷଣ ହର ।

ଆରତନାଶନ ଡିଣ୍ଡିମ ଶୁଭୁଛି ସଂସାରରେ ବୈଷ୍ଣବ ଭଣି । ୪ ।

(ଚାର, ଚାରୁବ୍ରହ୍ମ ଓ ରାଣୀର ପ୍ରସ୍ଥାନ ଓ ଇଚ୍ଛାବତୀ ଗୁରୁପରେ ପ୍ରବେଶ ।)

***

 

ଗୁରୁଙ୍କର ଇଚ୍ଛାପ୍ରତି ଗୀତ

କହ କହ ଏତେବେଳେ କେଣେ ଯାଅ ଗୁଣମଣି – ବୃତ୍ତେ

 

ପାଠପଢ଼ ଇଚ୍ଛାବତୀ ସ୍ୱଇଚ୍ଛାରେ ଦେଇ ମନ ।

ତୁଛାରେ କରିଲେ ହେଳା ଆଉ ନମିଳିବ ଦିନ । ପଦ ।

 

ବିଦ୍ୟା ଅବିଦ୍ୟାକୁ ନାଶେ, ବିଦ୍ୟା ଶ୍ରେଷ୍ଠ ସର୍ବଦେଶେ ।

ଅନ୍ଧାରେ ଆଲୋକ ଆସେ ପର୍ବତେ ଫଳାଏ ଧାନ । ୧ ।

 

ବିଦ୍ୟାସାଗର ଶୋଷଇ, ଶୂନ୍ୟରେ ନାବ ଭାସଇ ।

ଅନ୍ଧକୁ ବାଟ ଦିଶଇ ବିଦ୍ୟାର ବଳ ଏସନ । ୨ ।

 

ଚଣ୍ଡାଳ ପଢ଼ିଲେ ପାଠ, ମୂର୍ଖ ଦ୍ୱିଜରୁ ସେ ଶ୍ରେଷ୍ଠ ।

ବେଦରେ ଲିହିତ ତାକୁ ଚଣ୍ଡାଳୁ କରିବ ସାନ । ୩ ।

 

ବିଦ୍ୟା ନ ମାନଇ ଜାତି ବିଦ୍ୟାରେ ବଶ ଧରିତ୍ରୀ

ବିଦ୍ୟାର ଏତେ ଶକତି ଭାଷେ ବଇଷ୍ଣବ ଦୀନ । ୪ ।

***

 

ଚାରୁବ୍ରହ୍ମ ତହିଁ ପ୍ରବେଶ – ଇଚ୍ଛାକୁ ଦେଖି ଗୀତ

ସଖି କହ ଏ ନେତ୍ର ସମ୍ପତ୍ତି କାହାର ଗୋ – ବୃତ୍ତେ

 

ଆହାକି ଦେଖିଲି ଦେଖିଲି ମୋର ନେତ୍ରପଥୁଟା ରେ ।

ଏହାପରା ଥିବେ ଆଉ କେତୁଟା ରେ । ପଦ ।

 

କିବା ସ୍ୱର୍ଗ ବିଦ୍ୟାଧରୀ ।

ମର୍ତ୍ତ୍ୟେଅଛି ଅବତରି ।

ବିଦ୍ୟା ଧନେ ବଳାଇଛି ଚିତ୍ତୁଟା ରେ । ୧ ।

 

ଘନକେଶୀ ପୀନସ୍ତନୀ ସ୍ଫୁଟ ବନଜ ଆନନୀ ।

କରକାକୁ ନିନ୍ଦେ ଦନ୍ତପନ୍ତିଟା ରେ । ୨ ।

 

ଜନ୍ମାନ୍ତେ ଯେଉଁ ପୁରୁଷ ।

ସାଗରସଙ୍ଗମେ ଝାସ ।

ଦେଇଥିବ ହେବ ୟାର କାନ୍ତୁଟା ରେ । ୩ ।

 

ହାବ ଭାବରୁ ଚିହ୍ନା ।

ଯାଉଛି ରଜନନ୍ଦନା ।

ବଇ ବୋଲେ ଧରନ୍ତା ମୋ ହାତୁଟା ରେ । ୪ ।

 

ଇଚ୍ଛା ଗୀତ

ମନାକଲେ ଯେତେ ଭୁଲିବି କି – ବୃତ୍ତେ

 

ଏହି କାହା ସୁତ ମୋହିନିଏ ଚିତ୍ତ ଥରେ ଥରେ ଚାହିଁ ଆଡ଼ରେ ।

ଅନଙ୍ଗ ଅଥୟେଅଙ୍କ ଦେଶ ହେଳେ ଯେପରି ମାଘ ଜାଡ଼ରେ । ପଦ ।

 

କରୀଶୁଣ୍ଢ ପରି ବାହୁଦଣ୍ଡ ଝଲେ ମଣ୍ଡନ୍ତେ ମୋତେ କୋଡ଼ରେ ।

ଗଣ୍ଡମଣ୍ଡକପାଟଳରଙ୍ଗ ପ୍ରଭା ଜବା କିବା କାଚ ବାଡ଼ରେ । ୧ ।

 

କଟାକ୍ଷ ବଡ଼ଶୀ ରସି ଖେଳାଇଣ ମନ – ମୀନେ ଟାଣେ ତୋଡ଼ରେ ।

ଦମ୍ଭଦ୍ରୁମ ହେଳେ ଉପାଡ଼ି ଦେଲାଣି ପଡ଼ନ୍ତେ ମୋ ନେତ୍ରଆଡ଼ରେ । ୨ ।

 

ଜଡ଼ପରି ହାତଗୋଡ଼ ମୋ ନଚଳେ ରହନ୍ତେ କି ଆମ୍ଭ ଗଡ଼ରେ ।

ଗୁପତରେ ପ୍ରୀତି କଥା ମୁଁ କହନ୍ତି ପୂଜି ଉମା ଚନ୍ଦ୍ରଚୂଡ଼ରେ । ୩ ।

 

ସତେ ଏ କାମନା ସଫଳ ହେବ କି ପଣ ମୋ ନ ହେଉ ହୁଡ଼ରେ ।

ବଇଷ୍ଣବ ବୋଲେ ବିଧି କୃପା ଥିଲେ ଯୋଗହୁଏ ଦୁଧ ଗୁଡ଼ରେ । ୪ ।

***

 

ଗୁରୁ ଚାରୁବ୍ରହ୍ମ ପାଶକୁ ଯାଇ ପ୍ରଶ୍ନ ଗୀତ

ଏ ଫଳ ପାଇଲୁ କାହୁଁ ରେ ବାନ୍ଧିବି – ବୃତ୍ତେ

 

କେଉଁ ଦେଶେ ତୋର ଘର ରେ କୁମର, କେଉଁ ଦେଶେ ତୋର ଘର ।

ନାମ କିସ କହ ମୋ ସନ୍ଦେହ ଦହ ହୃଦୟେ ନରଖି ଡର ରେ । ପଦ ।

 

କିଏ ତୋର ପିତା, ଘେନି କେଉଁ କଥା, ଭ୍ରମଣ କରୁ ସଂସାର ରେ ।

କେଉଁଠାକୁ ଯିବୁ ବିଚାରୁଛି ବାବୁ ଏ ଭୋଜରାଜ ନବର ରେ । ୧ ।

 

ଦେଖୁ ରାଜକଳା ତୋ ଅଙ୍ଗରେ ବଳା କହ ତୁ ହେଳା ନ କର ରେ ।

ରସାରେ ଏ ଦଶା କେସନେ ଘଟିଲା ବସା କରୁ କେଉଁଠାର ରେ । ୨ ।

 

ଶିଶିରେ ନଳୀନ ସମାନ ଅବସ୍ଥା ବତ୍ସ ଘଟିଅଛି ତୋର ରେ ।

ବଇଷ୍ଣବ ବୋଲେ ଫିଟାଇ କହିଲେ କରିବା ତା ପ୍ରତିକାର ରେ । ୩ ।

***

 

ଚାରୁବ୍ରହ୍ମର ଉତ୍ତର ଗୀତ

ଦୁଧ ଭାଣ୍ଡ ଥୋଇ ବ୍ରହ୍ମାଣ୍ଡ ଗୋସାଇଁ – ବୃତ୍ତେ

 

ଶୁଣ ଗୁରୁଦେବ ମୋର ଦୁରୁଦଶା ମୋପରି ନ ଥିବେ ରସାରେ ।

ଦର୍ପକ ଦେଶର ମଦନ ରାଜାର କୁମର ମୁଁ ଅଟେ ସଂସାରେ । ପଦ ।

 

ନାମ ଚାରୁବ୍ରହ୍ମ ଏଡ଼େ ହୀନ କର୍ମ ମିଳୁ ନାହିଁ ଖଣ୍ଡେ ବସାରେ ।

ସୁବାହୁ ନୃପତି ବାହୁବଳେ ଆମ୍ଭ ରାଜ୍ୟ ହରି ନେଲା ନିଶାରେ । ୧ ।

 

ପିତା ମାତା ବେନିଜନେ ନାଶି ମୋତେ ପକାଇଲା ଦୀନ ଦଶାରେ ।

ପଳାଇ ଆସିଲି ରାଜ୍ୟ ତେଜ୍ୟାକରି ଚୋର ନେଲେ ବେଶ ଭୂଷାରେ । ୨ ।

 

ଯେହୁ ଅନ୍ନପାଣି ଦେବ ମୋତେ ଆଣି ମୁହିଁ ହୋଇବି ତା ପୋଷା ରେ ।

ପିତା ମାତା ମଣି ସେବିବି ସର୍ବଦା ତେଜି ମନୁ ଦମ୍ଭ ହିଂସା ରେ । ୩ ।

 

ପଢ଼ାଶୁଣା କରାଇଲେ ଗୁରୁ ମୋତେ ପାସୋରିବି ରାଜ୍ୟ ଆଶା ରେ ।

ମହୀଦେବ ବଇଷ୍ଣବ ଗୀତେ ଭାଷେ ସୁନା କି ମିଶିବ ସିସାରେ । ୪ ।

***

 

ଆସ ଉତ୍କଳ ସନ୍ତାନେ – ବୃତ୍ତେ

 

ଥାଅ ରେ ବାଳକ ଆମ୍ଭ ଗୃହେ ହୋଇ ଧର୍ମଚାଟ ।

ନିତି ଆସି ଏଥି ଇଚ୍ଛାବତୀ ତୁଲେ ପଢ଼ ପାଠ । ପଦ ।

 

ନାହିଁ ସୁତା ସୁତ କେହି ରହ ରେ ହରଷେ ତୁହି,

ପାଳିବ ବ୍ରାହ୍ମଣୀ ହେଳେ କହୁଛି କରି ଆକଟ । ୧ ।

 

ତୋ ମନ ଜଗାଇ ଅନ୍ନ ଜଳ ଦେବ ରେ ନନ୍ଦନ,

ଭୁଲିଯିବୁ ବାପ ମାଏ ଚାଲିଯିବ ଯେତେ କଷ୍ଟ । ୨ ।

 

ଭାବନା ଭାବନା ବତ୍ସ, ପଛକଥା ମନୁ ପୋଚ୍ଛ,

ଉଚ୍ଚକୁ କରଇ ନୀଚ ସେ ସବୁ ଦଇବ କୂଟ । ୩ ।

 

ଆମ୍ଭ ତୁଲେ ଚାଲ ବାପ, ଭୁଲି ଯାଅ ଶୋକ ତାପ,

ଇଚ୍ଛାବତୀ ଚଳ ବାସେ ଭାଷେ ବଇଷ୍ଣବ ଭାଟ। ୪ ।

***

 

ଚାଟ ଓ ଗୁରୁ ବ୍ରାହ୍ମଣୀ ପାଶେ ପ୍ରବେଶ । ବ୍ରାହ୍ମଣୀର ଗୀତ -

ପୀତପଟ ଧିଟ ନଟକୁଟିଆରେ ଫାନ୍ଦେ ନ ପଡ଼ିବୁଟି – ବୃତ୍ତେ

 

ପଣ୍ଡା

– ନିଅ ନିଅ ନିଅ ଆଣିଛି ବ୍ରାହ୍ମଣୀ କେମନ୍ତ ପିଲାଟି । ପଦ ।

ବ୍ରାହ୍ମଣୀ

– କେଉଁଠାରେ ୟାକୁ ପାଇଲ ହେ ପଣ୍ଡା ଥିଲା ଏ କେଉଁଠି ?

ପଣ୍ଡା

– ବୁଲୁଥିଲା ପରା ପାଇଲି ବଜାରୁ ରଜାର ଚେଲାଟି ।

ବ୍ରାହ୍ମଣୀ

– କେମନ୍ତେ ରହିବ କି ବୋଲି କହିବ ସହଜେ ବୁଲାଟି ।

ପଣ୍ଡା

– ଧରମ ଚାଟ ହେଲା ଲୋ ଆମ୍ଭର କରମ ଖୋଲାଟି । ୧ ।

ବ୍ରାହ୍ମଣୀ

– ଏଡ଼େବଡ଼ ଟୋକା ପୋଷା କି ମାନିବ କହନି ଭଲାଟି ।

ପଣ୍ଡା

– ରଜା ପୁଅ ଯୋଗୀ ହେଲେ ଭୁଲିବ କି ସାବକ ଚାଲଟି ।

ବ୍ରାହ୍ମଣୀ

– ଶେଷକୁ ଯେମନ୍ତେ ଅଡ଼ୁଆ ନ ଲାଗି ନ ଉଠେ ପିଲାଟି ।

ପଣ୍ଡା

– ଚୋରୀକରି କି ମୁଁ ଘେନି ଆସିଅଛି ପରର ଝୁଲାଟି ।

ବ୍ରାହ୍ମଣୀ

– ସେତେବେଳେ ଆଉ ରଡ଼ି ନ ଛାଡ଼ିବ ନେଲାଟି ନେଲାଟି ।

ପଣ୍ଡା

– ବଇଆ ବୋଲେ ତୁ ମୋ ସଙ୍ଗେ ନ କର ଲଢ଼େଇ ପାଲାଟି । ୩ ।

 

(ସମସ୍ତଙ୍କର ପ୍ରସ୍ଥାନ)

***

 

ଇଚ୍ଛାବତୀ ଓ ସଖୀର ପ୍ରବେଶ – ଗୀତ

କେତେ ନଟକୂଟ ଜାଣୁ ଶ୍ରୀଖଣ୍ଡଚୂଳିଆ – ବୃତ୍ତେ

 

କାହିଁପାଇଁ ରାଜଜେମା ମନେ ସୁଖ ନାହିଁ ଗୋ ।

କି ଦୁଃଖ ହୋଇଛି ଆଖି ପଡ଼ିଅଛି କାହିଁ ଗୋ । ପଦ ।

 

ଭାବିଲା ପରାଏ ନିତି। ବସୁ ଗୋରାଜଦୁହିତି ।

ଭାଷ କାହା ପ୍ରେମ ଫାଶେ ଅଛ ବନ୍ଦୀ ହୋଇଗୋ। ୧ ।

 

ଧରିଣ କିତାପ ଖଡ଼ି ।

ନିତି ଯାଉ ପାଠ ପଢ଼ି ।

କି ତାପରେ ତାପିତ ହେଲୁଣି ସୁନାଦେହୀଗୋ । ୨ ।

 

ମୀନନେତ୍ରୀମନଗତି ।

ମନ କହ ମୋର କତି ପରକାଶ ରସବତୀ ନ କହିବି କାହିଁ ଗୋ । ୩ ।

 

କୃଷ୍ଣପକ୍ଷେ ଶଶଧର ।

ପରାୟେ ହେଲା ଶରୀର ।

ଦେଖିଲ ରୋଷିବେ ରାଜା ବଇଷ୍ଣବ କହି ଗୋ। ୪ ।

***

 

ଇଚ୍ଛାର ଗୀତ

ଡେମ୍ଫ ବିନା କି ଫୁଲ ସମ୍ଭାଳି ରହେ – ବୃତ୍ତେ

 

କହିବୁ ନାହିଁ ଦାସୀ କାହିଁ ଏକଥା ।

ଅହି ପରାୟେ ମୋତେ ଦଂଶୁଛି ଚିନ୍ତା । ପଦ ।

 

ମୋ ସଙ୍ଗେ ପାଠ, ପଢ଼େ ଯେ ଚାଟ ।

ତାହାଙ୍କ ପରେ ବଳିଛି ମୋ ମମତା । ୧ ।

 

ସେ ସଙ୍ଗେ ମନ, ମଜ୍ଜିଛି ଘେନ,

ନାହିଁ ଏ ପିଣ୍ଡ ଦଣ୍ଡେ ପରାଣ ସତ୍ତା । ୨ ।

 

ନିଦ୍ରା ଆହାର, କଲିଣି ଦୂର ।

ହରହାର ଲାଗୁଛି ଗଳା ମୁକୁତା । ୩ ।

 

ଆଗେ ମୁଁ ଯାଇଁ, ତା ବାଟ ଚାହିଁ ।

ବସଇ ବଇଷ୍ଣବ ରଚେ କବିତା । ୪ ।

***

 

ଦାସୀର ପ୍ରବୋଧନା ଗୀତ

ସହିରେ ଚାହାଁ ଚାହାଁ ଚମତ୍କାର – ବୃତ୍ତେ

 

ଭାବନା ଭାବନା ଗୋ ଭାବଦାଇନି । ପଦ ।

ଯାର ଯହିଁ ବଳେ ମନ ମିଳେ ତାକୁ ସେହି ଧନ ।

ଆଗତେ, ଢଗତେ ; ଜାଣିଚି, ଶୁଣିଚି, ମଣିକି ଗୋ ଋଷିମୋହିନୀ । ୧ ।

 

କଳିଆ କଳପଣା ମୁଣି ସଂସାରେ ।

କଳିକଣ୍ଠି ଅଳପରେ ବସିବୁ ତା ତଳପରେ ।

ଧନରେ ମନରେ, ରଖିଥା, ଶିଖିଥା, ପ୍ରେମ ଜଳ ନାବ ବାହିନୀ । ୨ ।

 

ଛାତିକି କରି ରଖିଥିଲେ ପଥର ।

ନାଥର ପାଇବୁ ଭେଟ, ପରେ ନ ହୁଅ ରାଟ ।

ନନ୍ଦନା ବେଦନା ; ଯିବଟି; ଶିବଟି , ବଇ ବୋଲେ କର ଦଇନି । ୩ ।

 

ଇଚ୍ଛା–ଯାଉଛି ମୁଁ ପଢ଼ିବାକୁ ପାଠ ।

ଦାସୀ–ଏହିକ୍ଷଣି ହେବ ପରା ଭେଟ ।

ଇଚ୍ଛା–ମନ ମୋର ନ ଲାଗଇ ଏଥି ।

ଦାସୀ–ପାଇବ ତ ହଜିଲା ସମ୍ପତ୍ତି ।

ଇଚ୍ଛା–ଗୁରୁ ଆସି ଲୋଡ଼ୁଥିବେ ତେଣେ ।

ଦାସୀ–ଡେରି ହେବ ନାହିଁ ଆଉ କ୍ଷଣେ ।

ଇଚ୍ଛା–ଆଣ ଆଣ ମୋ କିତାପ ଖଡ଼ି ।

ଦାସୀ–ଚାଲ, ତହିଁ ଦେଇଆସେ ଛାଡ଼ି ।

(ସମସ୍ତଙ୍କ ପ୍ରସ୍ଥାନ)

***

 

ଚାଟର ଚାଟଶାଳେ ଏକାକୀ ଗୀତ

କାହିଁପାଇଁ ରଜା ଖୋଜା ପଡ଼ିଅଛି ସାପୁଆକେଳା – ବୃତ୍ତେ

 

ଆସି ନାହିଁ ଶଶୀହାସୀ କାହିଁପାଇଁ ଆଜି ଚାଟଶାଳାରେ ।

ଆଗେ ଆସି ବସି ବାଟ ଚାହୁଁ ଥାଏ ମୋର ଗଳାମାଳିରେ । ପଦ ।

 

ଗଜରାଜ – ଗତି ମତି କି ମୋ ପରୁ ଯାଇଅଛି ଟଳି ରେ ।

ପବନେ ନଳିନୀ ନୀରେ ଦୋହଲାନ୍ତେ ତେଜନ୍ତି କି ଅଳି ରେ । ୧ ।

 

କାଲି ଖଡ଼ି କଲାବେଳେ ଗଡ଼ି ତାକୁ ଦେଇଥିଲି ତୋଳି ରେ ।

ମାଗିବି ଯା ମୋତେ ଦେବ ବୋଲି ସତ୍ୟ କଲା ନବବାଳୀ ରେ । ୨ ।

 

ବଳୟଶୋଭିନୀ ନିକଟେ ମୁଁ ଆଜି କରିଥାନ୍ତି ଅଳି ରେ ।

କଳିଥିଲେ ମୋର ହୃଦୟ ସୁନାରୀ ଯାଆନ୍ତା ତରଳି ରେ । ୩ ।

 

ଏକାନ୍ତରେ କାନ୍ତା କାନ୍ତକୁ ଭେଟିଲେ ହୁଏ କି ସମ୍ଭାଳି ରେ ।

ବଇ ବୋଲେ ଯୋଗିଭଙ୍ଗିନୀ ସଙ୍ଗୀନି ଆସଇ କି ଢଳି ରେ । ୪ ।

 

ପଛରୁ ଆସି ଇଚ୍ଛାବତୀ ଚାଟର ନେତ୍ର ବୁଜିବା

ଚାଟ–କଳାମେଘେ ଚନ୍ଦ୍ରମା ଲୁଚିବ କେତେ କାଳ ।

ଇଚ୍ଛା–କେମନ୍ତେ ଚିହ୍ନିଲ ମୋତେ ଭାଷ ହେ କୁଟିଳ ।

ଚାଟ–କୋମଳ ଲାଗିଲା କର ନେତ୍ରକୁ ମୋହର ।

ଇଚ୍ଛା–ଏପରି କୋମଳ କର ନାହିଁକି କାହାର ?

ଚାଟ–ଗିରୀଶ ମୋହିନୀ କର ଶିରୀଷୁ – ନରମ ।

ଇଚ୍ଛା–ଜାଣୁ ଜାଣୁ ଅରଜିଲ ଏତକ ସରମ ।

ଚାଟ–କାଲି ସତ୍ୟକଲା କଥା ଯାଇଛ କି ଭୁଲି ।

ଇଚ୍ଛା–କି ଇଚ୍ଛା ତୁମ୍ଭର ମୋତେ କହୁନାହିଁ ଖୋଲି ।

ଚାଟ–ଇଚ୍ଛାପାଶେ ମୋ ଇଚ୍ଛା ଜାଣିବା କିବା ଛାର ।

ଇଚ୍ଛା–ଜାଣିଲି ନାଗର ତୁମ୍ଭ କଥାର ଚତୁର ।

ଚାଟ–ଦରିଦ୍ର ବୋଲି ମୁଁ ଡରେ ନ କହଇ ଖୋଲି ।

ଇଚ୍ଛା-ଆସିଲା ବେଳୁ ମୁଁ ଦେଖି ଯାଇଅଛି ଭୁଲି ।

ଚାଟ-ଧନହୀନ ପୁରୁଷଙ୍କୁ ନାରୀ ନ ରସନ୍ତି ।

ଇଚ୍ଛା–ବେଶ୍ୟା ସିନା ଧନୀ ନର ଦେଖିଲେ ତୋଷନ୍ତି ।

ଚାଟ–ଏହି ସ୍ନେହ ରହିଥିବ ମୋହଠାରେ ନିତି ।

ଇଚ୍ଛା–ଦେଲି ମାଳ କାଳେ କାଳେ ତୁମ୍ଭେ ମୋର ପତି ।

ଚାଟ–ସତ୍ୟକଲି ତୁମ୍ଭଛଡ଼ା ନାହିଁ ମୋର ଆନ ।

ଇଚ୍ଛା–ତୁମ୍ଭେପରା ଜୀବ ମୁହିଁ ତୁମ୍ଭରି ଜୀବନ ।

***

 

ଗୁରୁଙ୍କ ପ୍ରବେଶ – ଗୀତ

ଆଜ୍ଞାଦିଅ ଭୋଜରାଜ ଯିବି ବ୍ରଜପୁରକୁ ହେ– ବୃତ୍ତେ

 

କାଲି ଚାଟ ଇଚ୍ଛାବତୀ ଯିବ ଫୁଲ ତୋଳି ବନେ ।

ପଡ଼ିବ ହରିତାଳିକା ପୂଜିବ ଗୋ ଗଜାନନେ । ପଦ ।

 

ଚମ୍ପା ଯାଇ ଯୂଇ କୁନ୍ଦ ମନ୍ଦାର ହୋଇ ଆନନ୍ଦ ।

ତୋଳିବ ଜଳୁ କୁମୁଦ ଫେରିବ ହରଷ ମନେ । ୧ ।

 

ତରାଟ ଟଗର ମଲ୍ଲୀ ଘେନିଣ ଆସିବ ଚାଲି ।

ଭୁଲିଯିବ ନାହିଁ ମୋର କଥା ଚିତ୍ତୁ ବେନିଜନେ । ୨ ।

 

ଦୁହେଁ ରହି ଉପବାସେ ତୋଷିବ ଦେବ ଗଣେଶେ ।

ଜାଣିଥା ତୋଷିବେ ଶେଷେ ତୁମ୍ଭଙ୍କୁ ସେ ବିଦ୍ୟାଦାନେ । ୩ ।

 

ହେଲା ଆସି ସନ୍ଧ୍ୟାକାଳ, ଦୁହେଁ ନିଜ ଆଳେ ଚଳ ।

ବଇ ବୋଲେ ଅନ୍ନ ଭକ୍ଷି ଆନନ୍ଦ କର ଜୀବନେ।

 

(ସମସ୍ତଙ୍କ ପ୍ରସ୍ଥାନ) – ପ୍ରଭାତୁ ଇଚ୍ଛା ଫୁଲଡାଲା କରେ ଧରି

***

 

ଚାଟପାଶେ – ଗୀତ

କୀର୍ତ୍ତନ ସୁର

 

ଯିବା ଫୁଲବନେ ଚାଲ ଫୁଲ୍ଲମନେ ପୁଲକେ ରଜନୀ ପାହିଲାଣି ।

ଉଇଁଲାଣି ଭାନୁ ପୂରୁବ ଆକାଶେ ଦକ୍ଷିଣା ପବନ ବହିଲାଣି । ପଦ ।

 

ଉଠ ଉଠ ମଠ କରନା ହେ ଚାଟ କାଆ କାଆ କାକ ଗାଇଲାଣି ।

କାଆ କାଆ ନୁହେ ଆଆ ଆଆ ଡାକ ଡାକି ଆମ୍ଭଚିତ୍ତ ମୋହିଲାଣି । ୧ ।

 

ନାନାଦି ସୁମନ ଫୁଟି ଉପବନ ମହ ମହ ବାସ ଅଇଲାଣି ।

ନୀଳଜଳ ନୀଳ ଲହରୀ ମାଳାରେ କଳ କଳ କଳ କହିଲାଣି । ୨ ।

 

ବଳଦ କନ୍ଧରେ ହଳଲଦି ଚଷା ସହସା କେଦାରେ ଧାଇଁଲାଣି ।

କୁଳବଧୁ ଉଠି କଳଙ୍କକୁ ନ ଡରି ନିଜ ମୁଖ ନିଜେ ଧୋଇଲାଣି । ୩ ।

 

କାଳ କାଳ କଣ୍ଠ ଜଳରେ ପହଁରି କୁହୁ କୁହୁ ରାଇଲାଣି ।

ବଇଷ୍ଣବ ବୋଲେ ବେଳୁବେଳ ମୋର ଲେଖନୀରୁ ବଳ ଲଇଁଲାଣି । ୪ ।

***

 

କେ ରକ୍ଷା କରିବ ଆଜି ଚାଣ୍ଡାଳୀ ମୋ କରୁ –ବୃତ୍ତେ

 

ତଳେ ଥାଅଡାଳେ ମୁହିଁ ଚଢ଼ୁଛି ରସିକବର ।

ତୋଳି ଫୁଲ ଦେବି ତଳୁ ଗୋଟାଇ ଚାଙ୍ଗଡ଼ାଭର। ପଦ ।

 

ଏହିଠାରୁ ବାହୁଡ଼ିବା ଆଉ ତେଣିକି ନଯିବା ।

କି ପା ବିପଦେ ପଡ଼ିବା ଦଣ୍ଡିବେ ଗୁରୁ ଆବର । ୧ ।

 

ଗଲେଣି ସରବେ ଚାଲି ବନ ହୋଇଲାଣି ଖାଲି ।

ଭୟେ ଉଭୟେ କି ପାଇଁ ହେବା ଏଥେ ହରବର । ୨ ।

 

କାଲି ଗୁରୁ ଛନ୍ତି କହି ଆକଟ କରି ବୁଝାଇ ।

ହେଜାଇ ଦେଉଚି ଏହା ଖୋଜିବ ରାଜନବର । ୩ ।

 

ପଡ଼ିଯାନ୍ତେ ରବିତେଜ ମଉଳିବ ଫୁଲ ତେଜ ।

ବୃଥା ହେବ ସବୁକାର୍ଯ୍ୟ ଏ ଭାଷ ବଇଷ୍ଣବର । ୪ ।

 

ଇଚ୍ଛା ଗଛେ ଚଢ଼ନ୍ତେ ଚାଟ ତାହାର ଯୌବନ ଦେଖି ମୂର୍ଚ୍ଛାଯିବାର ।

***

 

ଇଚ୍ଛା ଗଛରୁ ଉତୁରି ଚାଟକୁ କୋଳେ ବସାଇ ଗୀତ

ସଙ୍ଗିନିରେ ସଙ୍ଗେ ଜଣେ ଆସ – ବୃତ୍ତେ

 

ରସିକ ହେ ବସି କହ ପଦେ କଥା ।

କିପାଁ ଧରା ପରେ ପଡ଼ି ହରାଇଲ ଚେତା । ପଦ ।

 

କିସ ବ୍ୟାଧି ଅକସ୍ମାତ, କରିଦେଲା ଅନାୟତ୍ତ,

ସେହେତୁ ଭୋଗିଲ ରୋଗୀ ସମାନ ଅବସ୍ଥା । ୧ ।

 

କିବା ବିଷଧର ଆସି ଅଙ୍ଗରେ ଯାଇଛି ଦଂଶି,

ଅକ୍ଷତ ତନୁରେ ଲକ୍ଷ୍ୟ ନୁହେ କ୍ଷତ ସତ୍ତା । ୨ ।

 

ଦେଖ ଦେଖ ଏ ବିଜନ, ବନେ ନାହିଁ ଆନ ଜନ,

ମନ ଫେଇ ଧନ ଥରେ ଭାଷ ସେ ବାରତା । ୩ ।

 

କରିବି ତା ପ୍ରତିକାର, କହୁଛି ମୁହିଁ ନିକର,

ବଇଷ୍ଣବ ବୋଲେ ତେଜି ସଂସାର ମମତା । ୪ ।

***

 

ଇଚ୍ଛା ସଙ୍ଗେ ଚାଟର ପ୍ରଣୟ (ଉଭୟଙ୍କର ପ୍ରସ୍ଥାନ)

ଗୁରୁଙ୍କର ପ୍ରବେଶ ଗୀତ

ରଥ ରଖ ପଥେ ଦେଖୁ ବଙ୍କା ବଂଶୀପାଣିକି – ବୃତ୍ତେ

 

ଚାଟ ଇଚ୍ଛାବତୀ ରେ ଉଛୁର ହେଲା କାହିଁକି ।

ଯାଇଥିଲେ କାନନକୁ ଦୁହେଁ ଫୁଲ ପାଇଁକି । ପଦ ।

 

ପାଞ୍ଚଘଡ଼ି ହେଳା ଦିନ କି ପାଞ୍ଚି ରହିଲେ ମନ ।

ଗୁରୁ ଦେବେ ଗାଳି ଲବେ ମନ ହେଲା ନାହିଁକି । ୧ ।

 

ବିଜନ ଗହନେ ମିଳି କି ଅବା ବସିଲେ ଖେଳି ।

ନ ବୁଝି ନ ସୁଝି ପଠାଇଲି କିମ୍ପା ଦୁହିଁଙ୍କି । ୨ ।

 

ସେ ତ ଯୁବକଯବତୀ ସହଜେ ତ ଭୋଳ ମତି ।

ପାରଦ ଅନଳ ଏକଠାବେ ହୁଏ ଥୟ କି । ୩ ।

 

ଯେବେ ଜାଣେ ଭୋଜରାଜା ।

ମୋର ଭାଲେ ଲେଖା ସଜା ।

ବଇଷ୍ଣବ ଭାଷି କ୍ଷୀର ଖୁଆଇଲି ଅହୀକି । ୪ ।

 

ଚାଟ ଇଚ୍ଛା ଫୁଲଡାଲା ହସ୍ତେ ଧରି ପ୍ରବେଶ – ଗୀତ

ବଙ୍ଗଳା କୀର୍ତ୍ତନ ସୁର

 

ନିଅ ନିଅ ଫୁଲ ଗୁରୁ ଆଣିଅଛୁ ତୋଳି ।

ଚମ୍ପା କରବୀର ମଧୁମାଳତୀ ନିଆଳୀ ।

ଇନ୍ଦ୍ର ବନ୍ଧୁ କଇଁ ହେ ।

ବକୁଳ ନିଆଳୀ ଜାଇ ଯୂଇ ହେ । ୧ ।

 

କୁରୁବକ ମନ୍ଦାର ସିହାଁରହାର କୁନ୍ଦ ।

ଶତବର୍ଗ କୁସୁମ ତରାଟ ଅରବିନ୍ଦ ।

ସୁବାସିତ ମଲ୍ଲୀ ହେ ।

ସୁନୀଳ ଅପରାଜିତା ବଳି ହେ । ୨ ।

 

ସଦାବିହାରୀ କଦମ୍ବ ଅରଖ କୋରକ ।

ନୀଳୋତ୍ପଳ ପଲାଶ ଏ ବଧୂଲି ଅଶୋକ ।

ଗଣଫୁଲ ଏହି ହେ ।

ନାଗେଶ୍ୱର ଗୋଲାପ ଗୋସାଇଁ ହେ । ୩ ।

 

ମୁଚୁକୁନ୍ଦ କଦମ୍ବ କେଦାର ପାରିଜାତ ।

ହରଗଉରା ରଙ୍ଗଣୀ ମାଧବୀଏସାତ ।

ବଇଷ୍ଣବ ଭଣି ହେ ।

ଆଜ୍ଞା ହେଲେ ହୋଇବୁ ମେଳାଣି ହେ । ୪ ।

***

 

ଗୁରୁଙ୍କର ସ୍ୱାଗତ କଥା

 

ଜଣାଯାଉଅଛି ବେନି ରୂପ ଆନ ଆନ ।

ଦେଖୁଛି ଇଚ୍ଛାର ଗଣ୍ଡେ ଭିନ୍ନ ଭିନ୍ନ ଚିହ୍ନ ।।

 

ଚାଟର ମୁଖମଣ୍ଡଳ ଶୁଖିଲା ଦିଶଇ ।

କି କର୍ମ କଲା ଚଣ୍ଡାଳ କନ୍ୟାକୁ ରସାଇ ।।

 

ସଙ୍କେତ ସ୍ଥାନ ସମସ୍ତ ବିକୃତ ହୋଇଛି ।

ନିଶ୍ଚେ ନିଶ୍ଚେ ଇଚ୍ଛା ଚାଟ ମନକୁ ମୋହିଛି ।।

 

ଏହାଙ୍କର ପ୍ରେମ ଯେବେ ଧରାଯିବ ପଡ଼ି ।

ନିଶ୍ଚେ ଭୋଜପତି ମୋତେ ରାଜ୍ୟୁ ଦେବେ ତଡ଼ି ।।

 

ଆଜିଠାରୁ ଦୁହିଁଙ୍କ କରିବି ଭିନ୍ନାଭିନ୍ନ ।

ଯେଉଁ ପରି ଏହାଙ୍କର ନ ହୁଏ ମିଳନ ।।

 

ଚାଟକୁ ଆକଟ ଆଜୁ ରଖାଇବି ଘରେ ।

ଇଚ୍ଛାକୁ ପଢ଼ାଉଥିବି ଏ ରାଜା ନହରେ ।।(ପ୍ରକାଶ୍ୟେ)

 

 

 

ଯାଅ ଦୁହେଁ ଯେଝା ବାସେ ମାନି ମୋହ ବାଣୀ ।

ନ ଆସିବୁ ଧର୍ମ ଚାଟ ଏଠାକୁ ତୁ ପୁଣି ।।

 

ଚାଲ ପୂଜା ବଢ଼ାଇବ ଗଜାନନଙ୍କର ।

ଆସ ଇଚ୍ଛାବତୀ ତିଳେ ନ କରୁ ଉଛୁର ।।

(ସମସ୍ତଙ୍କର ପ୍ରସ୍ଥାନ)

***

 

ସଖୀମାନଙ୍କ ସଙ୍ଗେ ଇଚ୍ଛାର ପ୍ରବେଶ – ସଖିମାନଙ୍କ ଗୀତ

ଧିରେ ଘେନ ଧିରେ ବ୍ରଜେଶ୍ୱରୀ – ବୃତ୍ତେ

 

କହ କହ ଇଚ୍ଛାବତୀ କହ,

କି ହେଉଛି ନିତି ତୋର ଦେହ,

ଅନ୍ନଜଳ ତୋତେ ନ ରୁଚେ କାହିଁକି ଘଡ଼ିଘଡ଼ି ହେଉଅଛୁ ମୋହ ।

 

ଆଗୋ ରାଜବାଳା ।

ସୁନା ଦେହ ହୋଇଲାଣି କଳା । ୧।

 

କହିଲେ ବଇଦ ଡକାଇବେ ନାହାକେ ଜାତକ ଦେଖାଇବେ ।

ଗ୍ରହଶାନ୍ତି ପୂଜା କରାଇବେ ରାଜା ଅଉଷଧିମାନ ଚଖାଇବେ ।

ଆଗୋ ନବବାଳୀ ।

କାଳ କାଟୁ କିସ ଭାଳି ଭାଳି । ୨ ।

 

ପଦ୍ମପତ୍ରେ ଶୁଆଇଲେ ନେଇ, ତେବେ ତ କହୁ ଜଳଇ ଦେହି ।

ଚନ୍ଦନ କର୍ପୂର ବୋଳିଲୁ ଯେତେକ ବିଅର୍ଥ ହେଲା ସରବ ସେହି ।

ଆରେ କଳକଣ୍ଠୀ ।

କେ ଫେଇବ ତୋର ମନ ଗଣ୍ଠି । ୩ ।

 

ବସାଇଲେ ବିଧୁ କିରଣରେ, ସଖି ନୋହୁ କେଉଁ କାରଣରେ ।

ବାରଣଗମନା କାହିଁରେ କାମନା ଭାଷ ବଇଷ୍ଣବ ଚରଣରେ ।

ଆରେ ଜବାଧରି ।

କେଉଁ ବ୍ୟାଧି ନେଲା ଚିତ୍ତମୃଗ ଧରି । ୪ ।

***

 

ଇଚ୍ଛାର ଉତ୍ତର

ଆଜ କେଳି କଉତୁକୀ– ବୃତ୍ତେ

 

ଜାଣିବ କେ ମୋର ମନର ବେଦନା ଆଣିବ ବଇଦ ଯାଇଁ ।

ଘଡ଼ିଘଡ଼ି ପୋଡ଼ି ଯାଉଛି ଏ ଦେହ ଛାଡ଼ିଯିବ ଜୀବ କହିଲି ବୁଝାଇ ।

 

ଦଂଶିଚି ମାର ସାପ,

ପଶିଚି ହୃଦେ ତାପ,

ଶୋଷିଛି ଏ ପିଣ୍ଡକୁ, ରସିଛି ହେବ ଲୋପ,

ଆସିବି ଯଦି ମୋର ରସିକ ରସକୂପ ।

 

ନାଶିବ ନିଶ୍ଚେ ସେ ତୋ ମୋହ ଶୋକ ସନ୍ତାପ ।

ଆଣିବ କେ ଯାଇଁ ଚାଟ ବିଟରାଟଙ୍କୁ ଗୋପନେ ଗୁରୁଙ୍କ ଘରୁ ।

ଜାଣିବେ ନାହିଁ ଅନ୍ୟ ଜଣେ ଏ ବାଣୀ ତୁମ୍ଭ ବିନା ।

ରସିଲେ ତାହା ପ୍ରେମେ ମୋ ଶ୍ରମ ଯିବ ଗୁରୁ ଇତ୍ୟାଦି ।

 

ଆଗୋ ସଖି ବ୍ରାତ ଯାଗେ ଏହି ରାତ୍ର ମଧ୍ୟରେ ଭେଟାଇ ଦିଅ ।

ନାହା ମୋ ଆଣିଦେଲେ ଯାହା ମାଗିବ ଭଲେ ପରାଣ ବିନା ଆନ ମାନ ମୋଠାରୁ ନିଅ ।

ଦଂଶିଚି ମାର ସାପ ।

 

କେତେଦିନ ହେଲା ଯେତେ ଅନାଇଛି ମୋତେ ନ ଦେଲେ ଦେଖା ।

ଏତେ ଏତେ କଥା କହିଲେ ଗୋସାଇଁ ହାତେ ହାତେ ଫଳ କପାଳେ ଥଲେ ଲେଖା ।

ଦଂଶିଚି ମାର ସାପ । ୩ ।

 

ଜଣାଥିଲା କି ମୁଁ ବଣାହେବି ପ୍ରେମଖଣାରେ ଯିବି ପଡ଼ି ।

ଅଣାୟତ୍ତ ହୋଇ ଛଣାସୁଧା ମୁହିଁ, ବଇଷ୍ଣବ ଭଣି, ପାଇ ଯା ଦେଲି ଇଡ଼ି । ୪ ।

***

 

ଜମ୍ବୁବତୀର ଗୀତ

ଯମୁନାକୁ ଜଳ ଆଣିଯିବା – ବୃତ୍ତେ

 

ଏଣୀନେତ୍ରା ଆଣିଦେବି ଜାଣିଥା ତୋ ପତି କରେ ।

ଛଳେ ବଳେ କଉଶଳେ ଭେଟିବ ଏ ରାତିକିରେ । ପଦ ।

 

ଚାଟ ସଙ୍ଗେ ହେଲେ ଭେଟ ମେଣ୍ଟିଯବ ମନକଷ୍ଟ ।

ଭାଷିବୁ ତା ସଙ୍ଗେ ବସି ବୀଣାଜିଣା ବାଣୀକି ରେ । ୧ ।

 

କି ଛାର କଥାକୁ ସଖି, ମନରେ ହୋଇଚୁ ଦୁଃଖି,

ବଧୂଲୀ ଅଧରା ମଧୁ ଚାଖିବୁ ତୁ ଏତିକି ରେ । ୨ ।

 

ପଛେ ହେଲେ ହାନିଲାଭ ଆମ୍ଭଙ୍କୁ ଦୋଷ ନ ଦେବ ।

ସୁଖ ଯାଇ ଦୁଃଖ ତାର ସ୍ଥିର କର ମତିକି ରେ । ୩ ।

 

ଘନ ଜଘନା କାମନା, ପୂରିବ ନୁହ ବିମନା ।

ବଇଷ୍ଣବ ବୋଲେ କ୍ଷିତି ପରେ ରଖ ଖ୍ୟାତିକି ରେ । ୪ ।

 

(ପ୍ରସ୍ଥାନ)

***

 

ରାଜାର ମନ୍ତ୍ରୀ ପ୍ରତି ଗୀତ

ଆଜି ଫୋପାଡ଼ି ଦେବି ଏ ମୃଗ ଛାଲକୁ ତ – ବୃତ୍ତେ

 

ଡାକ ଡାକ ମନ୍ତ୍ରୀ ବେଗେ କଟୁଆଳକୁ ।

କଳଙ୍କ ଘୋଟିଲା ମୋର କୁଳକୁ । ପଦ ।

 

ମୁଦୁସୁଲୀ କହିଲା ଯା କହିବାକୁ ହୁଏ ଲଜ୍ଜା ।

ତେଜ୍ୟା କଲା ଜେମା କୁଳଶୀଳକୁ । ୧ ।

 

ଏକକାଠିପୁରେ ଚୋର ଆସି ପ୍ରବେଶ ନିଶାର ।

ଭୁଜଙ୍ଗ ଗଳଇ ଯେହ୍ନେ ବିଳକୁ । ୨ ।

 

ଶୁଣି ତାହା କମ୍ପେ ଛାତି ଅଖ୍ୟାତି ଘୋଷିବ ରାତି ।

ଏ ନିନ୍ଦା ରହିଲା କାଳକାଳକୁ । ୩ ।

 

ନ ଦେଲେ ଚୋରକୁ ଧରି, ଶୂଳି ପାଇବେ ପ୍ରହରୀ ।

ବଇଷ୍ଣବ ପୋଛେ ଶ୍ରମ ଝାଳକୁ । ୪ ।

***

 

କଟୁଆଳ ପ୍ରତି ମନ୍ତ୍ରୀ ଆଦେଶ ଦିଅନ୍ତେ ତାର ଗୀତ

ଚାଲ ଦେଖିଯିବା ଗୋ ଶୂନ୍ୟବେଦୀ ତିନିକୋଣିଆ- ବୃତ୍ତେ

 

ଥାଆ ଥାଅ ମଣିମା ଚୋର ଧରିଦେବି ଯାଉଛି ।

କାଲି ଆଣି ଚୋର ହଜୁରେ ହାଜର କରିବି ମୁଁ ଆଜି କହୁଛି । ପଦ ।

 

ଆଜି ମୁଦୁସୁଲୀ ଘରେ ମୁଁ ଲୁଚିବି ସନ୍ଧ୍ୟା ସମୟରୁ ପହୁଞ୍ଚି ।

ପାତ୍ରସହ ରାତ୍ରେ ଚୋରକୁ ଧରିବି ହାତକଡ଼ି ନେଇ ଧାଉଁଛି ।୧।

 

ନ ଦେଲେ ତୋ ପାଶ ମାରିବ ସବଂଶ ଏହି କଥା କହି ଦେଉଛି ।

କାଲିସବୁ ଗୋଳ ମେଣ୍ଟିବ ଜଞ୍ଜାଳ ବେଳ ଥାଉଁ ବିଦା ନେଉଛି ।୨।

 

ଏଡ଼େ ବଡ଼ ଛାତି କାହାର ହୋଇବ ରାଜାଘରୋ ରାତି ପୋହୁଛି ।

ଏବେ କାହିଁ ଯିବ ଛାଡ଼ିଲା ଦଇବ ବଇଷ୍ଣବ ପଦ ଗାଉଛି ।୩।

 

(ସମସ୍ତଙ୍କର ପ୍ରସ୍ଥାନ)

***

 

ଚାଟ ଓ ଇଚ୍ଛା ପଲଙ୍କରେ ବସିଥିବାର ଦେଖି କଟୁଆଳ ଚାଟକୁ ହଠାତ୍‌ ଧରିବା

କଂସ ଆଜ୍ଞାରେ ଡଗର- ବୃତ୍ତେ

 

ଏଡ଼େକ ସାହସ ତୋର ପଶିଲୁ ରାଜନବର ଯମପୁର ନିଶ୍ଚେ ଯିବୁ ତୁହି ରେ ଚାଣ୍ଡାଳ ।

ଏକ୍ଷଣି ଦେଖିଲେ ରାଜା ପାଇବୁ ପ୍ରୀତିର ମଜା ସଜା ଭାଲେ ଲିହିଅଛି ବିହି ରେ ଚାଣ୍ଡାଳ ।୧।

 

ହଜୁରେ ହାଜିର ଦେଇ ଦୋଷୁ ପାର ହେବି ମୁହିଁ ବେଜାର ହୋଇଲେ ରାଜା ଯେତେ ।

ନଜରବନ୍ଦିରେ ଥିବୁ ବୁଝିବେ ନାଜର ବାବୁ, ତୋର ହାନି ଲାଭମାନ କେତେ ।୨।

 

ନୁହେଁ ଏ ବଜାର ହାଟ ବଜାରି କରିବେ ନାଟ, ଭୋଜରାଜ ନହରଟି ଏହି ।

ତୋହର ନିଜର ଲୋକ ଜଣେ କେହି ନାହିଁ ଦେଖ, ପିଞ୍ଜରାବଦ୍ଧ ପକ୍ଷୀଟି ତୁହି ।୩।

 

ବଜର ବଜର ନୁହ ହଜୁରେହଜାର ଦିଅ ଚାରର ଚାରା ଅଛି କାହିଁ ।

ବଇଷ୍ଣବ ଭାଷେ ରସେ ରହ ନାହିଁ ଏଥେ ଲେଶେ ଯା କରିବେ ଦେବ ଉମାସାଇ ।୪।

 

ଜେମା:- ନିଅ ନାହିଁ କଟୁଆଳ ବିଦେଶୀ କୁମରେ ।

କଟୁଆଳ:- ପ୍ରାଣୀ ନାଶ ଦୋଷ କିଏ ଦେଇଛି ଯମରେ । ୧ ।

ଜେମା:- ଛାଡ଼ିଦିଅ ଏହାକୁ ନ ମାର କଟୁଆଳ ।

କଟୁଆଳ:- ଏହାକୁ ନ ଦେଲେ କାଲି ପୂରିବ ମୋ କାଳ । ୨ ।

ଜେମା:- ନାରୀ ହତ୍ୟା ଦୋଷ ନେବ ଜାଣିଥା ନିଶ୍ଚୟ ।

କଟୁଆଳ:- ଯାର ଆଜ୍ଞା ତାର ଦୋଷ ମୋର କିସ ଭୟ ।୩।

(ସମସ୍ତଙ୍କ ପ୍ରସ୍ଥାନ)

***

 

ରାଜା କୁମରକୁ ଦେଖନ୍ତେ ଗୀତ

କାଳ କି ଅକାଳ ହୋଇଲା- ବୃତ୍ତେ

 

ଦେଖ ଦେଖ ମନ୍ତ୍ରୀରାଜ ଚକ୍ରବର୍ତ୍ତୀ ଲକ୍ଷଣ ।

ଏ କୁମରଠାରେ ତାହା ଦେଖଇ ବିଲକ୍ଷଣ । ପଦ ।

 

ତା ନୋହିଲେ ଇଚ୍ଛା ବଳାଇ ମତି କରନ୍ତା କି ୟାକୁ ପରାଣପତି ।

ଧାରଣ କରିକି ଗଳାମାଳା ପରା ରଖନ୍ତା ଅନୁକ୍ଷଣ ।୧।

 

ନ ମାରି ଏ ସୁତେ ବନ୍ଦୀରେ ରଖନ୍ତି, ଜେମାକୁ ପାଶେ ପଚାରିବ ଡାକି ।

କି ଭାଳି ବାଳୀଶ ମଜ୍ଜିଲା ୟାତୁଲେ ଏଥେ କରୁ ବଖାଣ ।୨।

 

ଏ କୁମରେ ବାନ୍ଧି ନିଅ ଡଗର ବନ୍ଦିକରି ଭାଷ ଜେମା ଆଗର ।

କହ ରତିଚୋର ଗଲା ଯମପୁର କଲନାହିଁ ରକ୍ଷଣ ।୩।

 

ଶୁଣିକ ଗୁଣମଣି ଭଣିବ କିସ,ଯେବେ ଆସିବାକୁ ଇଚ୍ଛେ ମୋ ପାଶ ।

ଆଣିବ ତକ୍ଷଣେ ବଇଷ୍ଣବ ଭଣେ ଚଳ ଚଳଏକ୍ଷଣ ।୪।

***

 

ଜେମାକୁ କଟୁଆଳ ଜଣାନ୍ତେ ଜେମା ରାଜାପାଶେ ପ୍ରବେଶି ଗୀତ

ଆରେ ମନ୍ଦ ଦଇବ ନାରୀଜନ୍ମ ହୋଇ କିଏ ଏହା- ବୃତ୍ତେ

 

ବାଣୀ ଶୁଣ ମୋ ପିତା, କାହିଁପାଇଁ ବିଦେଶୀର କାଟିଲ ମଥା ହେ । ପଦ ।

କଟୁଆଳଠାରୁ ଶୁଣିଆସିଲି ଏଣେ ଏକ୍ଷଣି ଦେଖା ଶବ କେଉଁ ସ୍ଥାନେ ହୋଇଛି ପୋତା ହେ ।୧।

 

କହ କହ ଇଚ୍ଛାବତୀ କିପାଇଁ କଲୁ ଅନୀତି ଜାତି ଗୋତ୍ର ନ ବିଚାରି ହେଲୁ ତା କାନ୍ତା ହେ ।୨।

 

ଜାଣେ ମୁଁ ତା କୁଳଶୀଳ ଦର୍ମକ ରାଜା ଦୁଲାଳ ।

ନାମ ଚାରୁବ୍ରହ୍ମ ଗୁଣେ ଜଗତଜିତା ହେ ।୩।

 

ଗୁରୁଙ୍କର ଧର୍ମଚାଟ ହୋଇଣ ପଢ଼ନ୍ତେ ପାଠ ଘଟାଇଲା ବିହି ବଇ ରଚେ କବିତା ହେ ।୪।

 

ରାଜା-ଶୁଣ ଇଚ୍ଛାବତି ! ରାଜପୁତ୍ର ହୋଇ କିଁପା ହେଲା ସେ ଅତିଥି, ଦୋଷ ନ ଥିଲେ ତା ଠାରେ ଭୋଗନ୍ତା କି ଏମନ୍ତ ଦୁର୍ଗତି ।

 

ଇଚ୍ଛା-ପିତା ! ଶୁଣ ତାଙ୍କ ପୂର୍ବର ବାରତା । ପୁତ୍ରେ ଦେବାପାଇଁ ବିଭା ଦର୍ପକ ନରେଶ ସ୍ନେହେ ବଳାଇଲେ ମତି । ଦେଶେ ଦେଶେ ବୁଲି ଚାର କନ୍ୟା ରୂପମାନ ଆଣିଦେଲେ ରାଜା କତି । ଏହା ଦେଖି କୁମରର ନ ଟଳିଲା ମତି, ରାଜପୁତ୍ର ବୋଇଲେ ଭାରତୀ, ଯେହୁ କନ୍ୟା ବିଦ୍ୟାରେ ବଳିବ ମୋହ ପ୍ରତି, ମୁହିଁ ହେବି ତାର ପତି । ଶୁଣି କୋପେ ଦର୍ପକାଧିପତି, ଆଜ୍ଞା ଅବଜ୍ଞା ଦୋଷରୁ ତଡ଼ି ଦେଲେ ଘରୁ କିଛି ନ ଦେଇ ସମ୍ପତ୍ତି । ନାନା ଦେଶେ ଭ୍ରମି ରାଜପୁତ୍ର ପ୍ରବେଶିଲେ ଏଥି । ପାଠ ପଢୁ ମମସହ ଦେଖି ମୋତେ ବୁଦ୍ଧିମତୀ ମନ ବଳିଲା ମୋ ପ୍ରତି ।

***

 

ରାଜାର ଗୀତ

କାହିଁଗଲା ସଖି ଯମୁନାକୂଳିଆ କଦମ୍ବମୂଳିଆ- ବୃତ୍ତେ

 

ଯାଅ କଟୁଆଳ ଆଣ ବନ୍ଦିଶାଳୁ ବେଗ କରି ସେହି କୁମରେ ।

ଚାଟ ଇଚ୍ଛାବତୀ ବିଭାଘର ହେବ କହିଦିଅ ଗ୍ରାମ ଗ୍ରାମରେ । ପଦ ।

 

ଆଗତ ତିଥିରେ ସ୍ଥିର କର ଲଗ୍ନ ଡର ନାହିଁ ପରିଶ୍ରମରେ ।

ଇଚ୍ଛା ଇଚ୍ଛାମତେ ବର ଲୋଡ଼ିଅଛି ପଡ଼ିନାହିଁ ତିଳେ ଭ୍ରମରେ ।୧।

 

ଧନ୍ୟ ଧନ୍ୟ ଗୁରୁ ତାଙ୍କର କୃପାରୁ ହେଲା ଦୂର ଦୁଃଖ ହିମରେ ।

ପଙ୍କଜିନୀ ଦଶା ତୁଟିଲା ସହସା ମଧୁପ ଜୁଟିଲା ପ୍ରେମରେ ।୨।

 

ଜାଣି ତ ନଥିଲି ଏଡ଼େ ସୁଖ ଧାତା ଲେଖିଥିଲା ଜେମା କର୍ମରେ ।

ମଳୟାଚଳରୁ ସମୀର ଆସିଣ ଲାଗିଅଛି କାଷ୍ଠ ଦ୍ରୁମରେ ।୩।

 

ଦିଅ ହୁଳହୁଳୀ ନାଦ କର୍ଣ୍ଣ ଡେରି ଶୁଣନ୍ତୁ ସ୍ୱରଗ ଅମରେ ।

ବଇଷ୍ଣବ ଗିର ବିଷ୍ଣୁ ଆଶ୍ରା ଯାର ତାର ନାହିଁ ଡର ଯମରେ ।୪।

***

 

ଚାଟ ଓ ଇଚ୍ଛାର ମିଳନ ଓ ବିଭା ଗୀତ

ଦଇବ ବଶେ ବିଦେଶେ ରହି-ବୃତ୍ତେ

 

ଚାଟ ଇଚ୍ଛାବତୀ ବିଭାଘର ।

ଦେଖ ନରେ ହୋଇ ତତପର ।ପଦ।

 

ଆଜି ଭୋଜରାଜା ନଗ୍ରେ ବାଜେ ବାଜା ମଙ୍ଗୁଳିଲେ ଦିଅଁ ନାରୀବର ।

ଆଣି କନ୍ୟାବରେ ।୧।

 

ସ୍ନାନ କଲେ ସପ୍ତଘର ନୀରେ ।

ନାପିତ ସ୍ଥାପିତ ବେଦି ଗୋଟି ।

ତା ଉପରେ ପକାଇଲେ ଝୋଟି ।

ବାଟବରଣ ଚରଣ ଧୂଆ ଆଦି ସାରି ବେଦି ପରେ ଦ୍ୱିଜ ଗୋଷ୍ଠୀ ।

କନ୍ୟା ବରବେଶ, ସାରି ବେଦିପରେ ପରବେଶ ।୨।

 

ହସ୍ତଗ୍ରନ୍ଥି ଯଉତୁକ ଯେତେ ।

କଉତୁକ ସୂତ୍ର ବାନ୍ଧି ହସ୍ତେ ।

ହସ୍ତଗ୍ରନ୍ଥି ସାରି ବନ୍ଦାଇଲେ ନାରୀ ଯେ ଯେତେ ଥିଲେ ସଧବା ଯୁଥେ ।

ହାତଗଣ୍ଠି ଫେରାଇ ।

ବର କନ୍ୟା ପୁରେ ଗଲେ ନେଇ ।୩।

 

ଜୁଆ ଖେଳ ସ୍ୱଚ୍ଛେ ବଢ଼ାଇଲେ ।

ମଧୁଶଯ୍ୟାର ମଣ୍ଡାଇଲେ ।

ବର କନ୍ୟା ବିଭା ହେଲେ, ନିଜ ଦେଶ ଚିତ୍ତୁ ଚିନ୍ତାମାନ ଛଡ଼ାଇଲେ ।

ବଇଷ୍ଣବ ଭାଷ ।

ଚାଟ ଇଚ୍ଛାବତୀ ହେଲା ଶେଷ ।୪।

***